Unknown

 

 

 

 

 

 

 

 

 

 

 

କଏଦୀର ଭାବନା

ଶ୍ରୀ ମାଗୁଣି ଦାଶ

 

ନିଜ କଥା

 

୧୯୩୯ ମସିହା ଦ୍ଵିତୀୟ ମହା ସମର ଆରମ୍ଭ ହୋଇ ଯାଇଥାଏ । ଭାରତୀୟ ନେତାମାନଙ୍କ କଥାକୁ ଉପେକ୍ଷା କରି “ଭାରତ ମଧ୍ୟ ହବ୍ୟ ପାତ୍ରରେ ଘୃତ ଢାଳିବ “ବୋଲି ହଠାତ ଇଂରେଜ ସରକାରଙ୍କ ପ୍ରତିନିଧି ବଡ଼ଲାଟ ଲର୍ଡ ଲିନ୍‍ ଲିଥିଗୋ ଘୋଷଣା କଲେ । ଏଥିରେ ମହାତ୍ମା ଗାନ୍ଧୀ ପ୍ରଭୃତି ଭାରତର ନେତୃ ବୃନ୍ଦ ବିଶେଷ ବିଚଳିତ ଓ ମର୍ମାହତ ହୋଇ ପଡ଼ିଲେ । ଇଂରେଜ ସରକାରଙ୍କ ସହିତ ଅସହଯୋଗ କରିବା ଛଡ଼ା ଅନ୍ୟ ଉପାୟ ସେମାନେ ସ୍ଥିର କରି ପାରିଲେ ନାହିଁ-। ଯୁଦ୍ଧକୁ ସାହାଯ୍ୟ କରିବା ବିରୁଦ୍ଧରେ ପ୍ରଚାର କରି ଆଇନ ଅମାନ୍ୟ କରିବାକୁ ସିଦ୍ଧାନ୍ତ ଗ୍ରହଣ କଲେ ।

 

ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ଦଳର ମନ୍ତ୍ରୀମାନେ ଇସ୍ତଫା ଦେଇ ସତ୍ୟାଗ୍ରହ ସଂଗ୍ରାମରେ ଯୋଗ ଦେବାକୁ ସଜବାଜ ହୋଇ ରହିଲେ । ୧୯୪୦ ମସିହା ପ୍ରାରମ୍ଭରେ ମହାତ୍ମା ଗାନ୍ଧୀ ଏକ ଅସହଯୋଗ ଆନ୍ଦୋଳନର ସୂତ୍ରପାତ କଲେ । ମହାତ୍ମା ଗାନ୍ଧୀ ଯେଉଁ କଂଗ୍ରେସ କର୍ମୀମାନଙ୍କୁ ସତ୍ୟାଗ୍ରହ କରିବାକୁ ଅନୁମତି ଦେବେ କେବଳ ସେହି କଂଗ୍ରେସ କର୍ମୀମାନେ ଯୁଦ୍ଧ ବିରୁଦ୍ଧରେ ଧ୍ୱନିଦେଇ ସତ୍ୟାଗ୍ରହ କରି ଜେଲ ବରଣ କରିବେ ବୋଲି ସ୍ଥିର ହେଲା-

 

ଲେଖକ ମହାତ୍ମା ଗାନ୍ଧୀଙ୍କ ଅନୁମତି ପାଇ ୧୯୪୧ ମସିହା ଜାନୁୟାରୀ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ଘୁମୁରସ୍ଥ ପଞ୍ଚଭୂତି ଠାରେ ସତ୍ୟାଗ୍ରହ କରି ଚାରି ମାସ ଆଶ୍ରମ କାରା ଦଣ୍ଡ ବରଣ କରିଥିଲା । ତାପରେ ୧୯୪୨ ଅଗଷ୍ଟ ୯ ତାରିଖରେ ହୋଇଥିବା ‘ଭାରତ ଛାଡ଼’ ଆନ୍ଦୋଳନରେ ଯୋଗ ଦେଇ ଲେଖକକୁ ପୁଣି ଛ’ମାସ ଆଶ୍ରମ କାରାଦଣ୍ଡ ଭୋଗ କରିବାକୁ ହୋଇଥିଲା ।

 

ଏଇ ଉଭୟ ଜେଲ ସମୟ ମଧ୍ୟରେ ଯେଉଁ କେତୋଟି କବିତା ଜେଲ ଭିତରେ ରଚିତ ହୋଇଥିଲା । ସେଥିରୁ କେବଳ ବାରଟି କବିତା ଏହି ପୁସ୍ତିକାରେ ସନ୍ନିବେଶିତ ହୋଇ ଅଛି । ଜେଲରୁ କବିତା ଗୁଡ଼ିକ ଆଣିବା କମ୍‍ ଦୂରୁହ ବ୍ୟାପାର ନୁହେ । ଅତ୍ୟନ୍ତ କୌଶଳ ଓ ସତର୍କତା ସହିତ ଆଣିଥିବା କବିତାଗୁଡ଼ିକ ମଧ୍ୟରୁ ଅଧିକାଂଶ ଆଜି ଦୁଷ୍ଟ୍ରାପ୍ୟ ।

 

ମୋର ଯେଉଁ ବନ୍ଧୁମାନେ କବିତା ଗୁଡ଼ିକୁ ବହି ଆକାରରେ ପ୍ରକାଶ କରିବା ପାଇଁ ମତେ ବାରମ୍ବାର ଅନୁରୋଧ କରି ଉତ୍ସାହିତ କରିଛନ୍ତି ସେମାନଙ୍କ ନିକଟରେ ମୁଁ ଚିର କୃତଜ୍ଞ ।

 

ବର୍ତ୍ତମାନ ଦେଶ ସ୍ଵାଧୀନ ହୋଇଛି । କବିତା ଗୁଡ଼ିକ ଯେଉଁ ସମୟରେ ରଚିତ ହୋଇଥିଲା ସେ ସମୟ, ଅବସ୍ଥା ଓ ଭାବର ବିଶେଷ ପରିବର୍ତ୍ତନ ହୋଇଛି । ଅତଏବ ସେଇ ସମୟକୁ ଲକ୍ଷ୍ୟ ରଖି କବିତା ଗୁଡ଼ିକ ପାଠ କରିବା ପାଇଁ ପାଠକମାନଙ୍କୁ ଅନୁରୋଧ

 

ବିନୀତ

-ଲେଖକ–

☆☆☆

 

ଉତ୍ସର୍ଗ

 

ପୂଜନୀୟ ପିତା !

 

ତୁମର ଅଧମ ସନ୍ତାନକୁ ବେଶି ପାଠ ପଢ଼ାଇ ପାରିଲେ ନାହିଁ ବୋଲି ସବୁବେଳେ ତୁମ ମନର ଦୁଃକ ଦେଖିବାକୁ ପାଇଥିଲି । ମୁଁ ଯେତେବେଳେ ସାମୟିକ ଛୁଟୀ ନେଇ ଘରକୁ ଯାଏ ତୁମର ଅନ୍ତର ସ୍ନେହ ଓ ବାତ୍ସଲ୍ୟ ମମତାରେ ପୂରିଉଠେ, ଗର୍ବ ଓ ଆନନ୍ଦର ଆତିଶଯ୍ୟରେ ମୋର ପ୍ରଶଂସା କରି ଲୋକକୁ କହିବା ମୁଁ ନିଜେ ଶୁଣିଛି ଏବଂ ନିଜେ ଶୁଣିଛି ଏବଂ ନିଜକୁ ଗୌରବାନ୍ୱିତ ମନେକରି ଅତ୍ୟନ୍ତ ଆତ୍ମ ସନ୍ତୋଷ ଲାଭକରିଛି ।

 

ମୋର ବଡ଼ ଇଚ୍ଛାଥିଲା ଏଇ ବହିଖଣ୍ଡିକ ତୁମରି ହସ୍ତରେ ଅର୍ପଣ କରି ମୋର ଜେଲ ଜୀବନର ସାର୍ଥକତା ଅନୁଭବ କରନ୍ତି କିନ୍ତୁ ଏହେ ପ୍ରକାଶ ପାଇବା ପୂର୍ବରୁ ତୁମେ ଚାଲିଯାଇଛ ।

 

ସେଇ ସ୍ୱର୍ଗ ଧାମରେ ଥାଇ ଏ ଖଣ୍ଡିକ ଗ୍ରହଣ କଲେ ମୁଁ ନିଜକୁ କୃତାର୍ଥ ମନେ କରିବି ।

 

ଇତି

ତୁମର ଅଧମ ପୁତ୍ର

☆☆☆

 

ସୂଚିପତ୍ର

 

୧.

ଜଣାଣ (କ)

୨.

ଭଜନ (ଖ)

୩.

ପ୍ରାର୍ଥନା (ଦ)

୪.

ନହୁଅ ନିରାଶ

୫.

ସ୍ଵାଧୀନ ପଥେ

୬.

ଏଇ ମୋ ଓଡ଼ିଆ ଭାଇ

୭.

ମୋର ବ୍ୟକ୍ତିଗତ ସତ୍ୟାଗ୍ରହ

୮.

ଜାଗରେ ଆଜି ଭାରତ ଜାତି

୯.

ବାୟା ଯଦି ହୋଇବୁ ଭାବେ

୧୦.

ଗୋପବନ୍ଧୁ ସ୍ମୃତି

୧୧.

କୃଷକ ଭାଇ

୧୨.

ଚାଷୀ ଭାଇ

☆☆☆

 

ଜଣାଣ

 

କଞ୍ଜ ନୟନ ପ୍ରଭୁ କରୁଣାକର

କୃପା ଜଳଧି ପ୍ରଭୁ ବିନ୍ଦୁ ଏ ସାର ।

କରିଛ କୃପା ପ୍ରଭୁ ସଂସାରେ କେତେ

କିପାଇଁ ନ ଶୁଣୁଛ ମୋ ଡାକ ସତେ ।।

କଷ୍ଟ ଦେଉଛ ପ୍ରଭୁ ଦୟା ସାଗର,

କେତେ କ୍ଲେଶ ସହିବି ନର ମୁଁ ଛାର ।।

କାନ୍ଦୁଛି ବିକଳରେ ଦୀନ ବାନ୍ଧବ,

କେବେ ମତେ ପ୍ରଭୁ ଏ ଭବୁ ତାରିବ ।।

କରିଭକ୍ତି ଉଦ୍ଧବ, ଧୃବ, ପ୍ରହ୍ଲାଦ

କ୍ଲେଶରୁ ତରିଗଲେ କରୁଛି ବାଦ,।।

କମଳାପତି ଥରେ ଦିଅନ୍ତୁ କହି,

କିପରି ଏ ସଂସାରୁ ପାଇବି ତ୍ରାହି ।।

କୈବର୍ତ୍ତକୁ ବଢ଼ାଇ ଥିଲ ପୟର,

କୌଶଲ୍ୟା ସୁତ ପ୍ରଭୁ ରଖ ମୋ ଶିର ।।

କରିଥିଲ ଉଦ୍ଧାର ଅହଲ୍ୟା ସତୀ

କଲେ ମତେ ଦୟା କି ହେବହେ କ୍ଷତି ?

କିଛି ନ ଜାଣେ ପ୍ରଭୁ ମୂରୁଖ ମୁହିଁ,

କଉତୁକ କରୁଛ ମତେ କିପାଇଁ ।

କାରାଗାରେ ପଡ଼ି ମୁଁ ଡାକୁଛି ନାଥ,

କର ପୂରଣ ପ୍ରଭୁ ମୋ ମନୋରଥ

କଳା ଡୋଳା ହେ ପ୍ରଭୁ ! ଯାଉଛି ସରି,

କହେ ଦ୍ଵିଜ ମାଗୁଣି ଘେନ ଗୁହାରି ।।

☆☆☆

 

ଭଜନ

 

ଖଗପତି ହେ ନାଥ ସୁଦାୟା କର,

ଖଣ୍ଡ ଦୂରିତ ଥରେ ପ୍ରଭୁ ମୋହର ।।

ଖଟି ଖଟି ପୟରେ କାଠ ହେଲିଣି,

ଖାଲି କି ସତ ଦେଖ ହେ କମ୍ବୁପାଣି ।।

ଖଣ୍ଡା ଦାଢ଼ରେ ପ୍ରଭୁ ଚଳାଇ ଦେଖ,

ଖଟୁଛି କି ନାହିଁ ମୁଁ କର ପରଖ ।।

ଖବର ଚାରିଆଡ଼େ ହେଲାଣି ଶୁଣା,

ଖରବ ହୋଇ ହାତ ପାତେ ଚନ୍ଦ୍ରମା ।।

ଖଡ଼ି ଗଲାଣି ଯମ ଦୂତଙ୍କ ସରି,

ଖୋଜୁ ଅଛନ୍ତି ମତେ ନେବାକୁ ଧରି ।।

ଖିଆଲ ନଭାବି ମୋ ପାପ ଖଣ୍ଡନ,

ଖଟ ପଲଙ୍କେ ଶୋଇ କର ମୋଚନ ।।

ଖାତକୁ ପେଲିଦିଅ ନତୁବା ମତେ,

ଖଚୁଆ ବୋଲି ଯଦି ହେବି ପରତେ ।।

ଖଇର ବୋଲି ଖାଇଦେବି ଜହର,

କ୍ଷିତିରେ ପ୍ରଭୁ ନିନ୍ଦା ହେବ ଅପାର ।।

କ୍ଷେମ ଦୂରିତ ମାଗେ ମାଗୁଣି ଛାର,

କ୍ଷମା ସାଗର, କ୍ଷମ ଦୋଷ ମୋହର ।।

☆☆☆

 

ପ୍ରାର୍ଥନା

 

ଦୀନ ବାନ୍ଧବହେ ଦୟାକର କିଞ୍ଚିତରେ ।

ଦରିଆ ମଝିରେ ପଡ଼ି ମୁଁ ଡାକୁଛି କୃପା ଦୃଷ୍ଟି ପଡ଼ୁବାରେ ।।

ଦୁଷ୍ଟକୁ ନିବାରି ସନ୍ଥକୁ ପାଳିବା ନୀତି ଅଟଇ ତୁମ୍ଭର ।

ଦାନବ ବିନାଶୀ ରଖିଥିଲ ପରା ନେତ୍ରା ଯୁଗେ ଋଷିପୁର ।।

ଦ୍ରୋପଦୀ ଉଲଗ୍ନ କରୁଥିଲା ଦୁର୍ଯ୍ୟୋଧନ କୁରୁ ସଭାତଳେ ।

ଦୟାନିଧି ତାଙ୍କୁ ବସ୍ତ୍ର ଦେଇ ପରା ଲଜ୍ଜା ନିବାରିଲ ହେଳେ ।।

ଦୁର୍ଦ୍ଦାନ୍ତ ବ୍ୟାଧକୁ ମାରି ଉଦ୍ଧାରିଲ ଏଣିକି ହେ ଦୟାନିଧି ।

ଦୂରୁ ଡାକ ଶୁଣି କରୀକୁ ରଖିଲ ଚକ୍ର ଦ୍ଵାରା ନକ୍ର ବଧି ।।

ଦୀନ ହୀନ ବେଶେ ପଡ଼ିମୁଁ ଡାକୁଛି ଆହେ ପ୍ରଭୁ ଚକ୍ରଧର ।

ଦୁଃଖୀ ଦୁଃଖ ଲବେ ଫେଡ଼ି କୃପାସିନ୍ଧୁ କଥା ରଖ ଏ ସଂସାର ।।

ଦଇବ ବାମରୁ କିବା ପୂର୍ବଫଳୁ ଏଦଶା ଭୋଗୁଛି ଆଜି ।

ଦୟା କର ଦୀନ ବାନ୍ଧବ ହେ ଥରେ ଦୀନ ମାଗୁଣି ମାଗୁଛି ।।

☆☆☆

 

ନ ହୁଅ ନିରାଶ

 

ଜାଗ ଜାଗ ଆଜି ଉତ୍କଳ ସନ୍ତାନ,

ହେଜି ମନେ ମନେ ପୂରୁବ ସମ୍ମାନ ।।

ପୂର୍ବେ କିସଥିଲେ ପୂରୁବ ପୁରୁଷେ

ଶୌର୍ଯ୍ୟେ ବୀର୍ଯ୍ୟ ବୀରଦରପେ ହରଷେ

ଗୋଳାଗୁଳି ବାରୁଦର କାରବାର

କୁନ୍ତ, ତଳୁଆର ବେଭାର ।।

ଆଜି ନାହିଁ ବଳ ଧରିବାକୁ କାତି,

ହେବ କିପରି ବା ସଇନ ପଦାତି ।।

ଖାପ ଟେକିବାକୁ ନାହିଁ ଯାର ବଳ,

ଜାଣିବ କିପରି ଯୁଧ୍ୟର କୌଶଳ ।।

ଗଙ୍ଗାଠାରୁ ଗୋଦାବରୀ ଯାଏଁ ଯାର,

ଜୈତ୍ର ଧ୍ଵଜା ଉଡ଼ୁଥିଲା ଫର ଫର

ଉଡ଼ୁନାହିଁ ଆଜି ସେ ଜଇତ୍ର ଧ୍ଵଜା,

ବାଜୁ ନାହିଁ ଆଜି ରଣଭେରୀ ବାଜୀ ।।

ନାହାନ୍ତି ଅନଙ୍ଗ ପ୍ରତାପ ମୁକୁନ୍ଦ,

ନରସିଂହ, ପୁରୁଷୋତ୍ତମ, କପିଳେନ୍ଦ୍ର ।।

ଚାଲିଯାଇଛନ୍ତି ଉପଇନ୍ଦ୍ର ଭଞ୍ଜ,

କାବ୍ୟ ଅଳଙ୍କାର ନାହିଁ ଯାର ସଞ୍ଜ ।।

ଯା ଲାଗି ଓଡ଼ିଆ ଓଡ଼ିଆ ବୋଲାଏ,

ରହିଅଛି ଟେକ ଆଜି ସବୁଠାଏଁ ।।

ବଳଦେବ, ଅଭିମନ୍ୟୁ, ଜଗନ୍ନାଥ,

ଗଙ୍ଗାଧର, ଦୀନକୃଷ୍ଣ, ରାଧାନାଥ ।।

ଭ୍ରମିଗଲେ ସୁଦ୍ଧା କିଏସେ ଭୁଲିବ,

ଯାଲାଗି ଓଡ଼ିଆ ଜାତିର ଗୌରବ ।।

ଯେ ଓଡ଼ିଆ ଜାତି କାରିଗରୀ କରି,

କୋଣାର୍କ, ଭୁବନେଶ୍ଵର ଆଉ ପୁରୀ ।।

ମନ୍ଦିର ନିର୍ମାଣି ରଖିଛନ୍ତି ଟେକ,

ଯା ଦେଖିଲେ ଆଜି ଦମଦମ ବୁକ ।।

ସେ ଓଡ଼ିଆ ଆଜି ପର ମୁଖାପେକ୍ଷୀ

ଏହା କେ ସହିବ ସ୍ଵ ଚକ୍ଷୁରେ ଦେଖି ।।

ପେଟ ପୁରା ଢୋକ ପାଇଲେ ଓଳିଏ

ଦୁଇ ଦିନ ଯାଏଁ ଆଉ ଯେ ନ ପାଏ ।।

ଗଣି ହେଉଅଛି ଶରୀରର ହାଡ଼

ଚାଲିବାକୁ ପାଦେ ନବାହାରେ ଗୋଡ଼ ।।

ପିନ୍ଧିବାକୁ ଖଣ୍ଡେ ନପାଏ ବସନ,

ଷୋଡ଼ଶୀ କନ୍ୟାର ନଫୁଟେ ଯୌବନ ।।

ଗଣ୍ଠାଇ ଗଣ୍ଠାଇ ଘୋଡ଼ାଏ ଯେ ଲଜ୍ଜ୍ୟା,

ଭାବିଲେ ଲଜ୍ଜ୍ୟାରେ ଥରିଯାଏ ମଜ୍ଜା ।।

ସଉଭାଗ୍ୟ ସମ୍ପଦର ଗନ୍ତାଘର,

ଚୋରୀ କରି ନେଇଗଲା କେଉଁ ଚୋର

ଆଉ ସେହି ସ୍ଵର୍ଣ୍ଣପ୍ରସୂ ଉତ୍କଳକୁ ଆଜି,

ଭାଗବାଣ୍ଟି ସର୍ବେ ନେଲେ କରି ପାଳି ।।

ହରାଇଛି ପୂର୍ବ କୀର୍ତ୍ତି ଓଡ଼ିଆ ପୁଅ,

ନିରବେ ଗଡ଼ାଏ ସେଥିପାଇଁ ଲୁହ ।।

କେବେ ହେବ ଭାଗ୍ୟ ଉଦୟ ତାହାର,

କେବେ ଯିବ ଦୁଃଖ ଓଡ଼ିଆ ପୁଅର ।।

ଅଛନ୍ତି ଉତ୍କଳେ ନୀଳାଚଳନାଥ,

ଦୁଃଖୀ ଦୁଃଖ ହରା ବୁଝିବେ ଆରତ ।।

ଯେଉଁ ପ୍ରଭୁ ନିଜ ଦେଶ ରାଜା ପାଇଁ,

ଯାଇଥିଲେ କାଞ୍ଚି ଯୁଦ୍ଧେ ସୈନ୍ୟ ହୋଇ ।।

ସେ ପ୍ରଭୁ ଅଟନ୍ତି ପତିତ ପାବନ,

ଚିହ୍ନନ୍ତି ସମସ୍ତ ଜଗତଙ୍କ ମନ ।।

ନିଶ୍ଚୟ ଘୁଞ୍ଚିବ ଉତ୍କଳ ଦୁର୍ଦ୍ଦଶା,

ଏଥିପାଇଁ କେହି ନ ହରାଅ ଆଶା ।।

☆☆☆

 

ସ୍ଵାଧୀନ ପଥେ

 

ଲାଗିଛିରେ ଆଜି ଭୀଷଣ ସଂଗ୍ରାମ

ଭୂଶାୟୀ ହେଲେଣି ଅପାର ସଇନ

ସମକକ୍ଷ ଯୋଦ୍ଧା ଇଂରେଜୀ ଜର୍ମାନୀ,

ଦୁହେଁ ସାଜିଛନ୍ତି ଅପାର ସଇନି ।।

କେତେ ଯନ୍ତ୍ରପାତି କରି ଲେଣି ନୂଆ

କେପାରିବ ବର୍ଣ୍ଣି ସେ ସବୁର ନାଆଁ ।।

ଟର୍ପେଡୋ, ମାଇନି, ବୋମା, ବ୍ୟୋମଯାନ ;

ପାରଚ୍ୟୁଟ୍‍, ଟ୍ୟାଙ୍କ କେତେ ଏୟାରଗନ୍‍ ।।

ଖଞ୍ଜନ୍ତି ଜର୍ମାନୀ ଇଂରେଜଙ୍କ ପାଇଁ,

ଇଂରେଜ ଛାଡ଼ନ୍ତି ଜର୍ମାନୀଙ୍କୁ ଚାହିଁ ।।

କେତେ କେତେ କୋଠା ହୋଇଲାଣି ଧ୍ଵଂସ,

କେତେ ବଡ଼ ବଡ଼ ଚାରିପୂର ୱାସ ।।

କେତେଯେ ସହର ହେଲାଣି ପାଉଁଶ ।।

ବୋମାପଡ଼ି ନିଆଁ ଲାଗି ସବୁ ଶେଷ

ଆହୁରି କେତୋଟି ରାଜ୍ୟ ଛନ୍ତି ଲାଗି,

ନିଜ ଜନ୍ମ ଭୂମି ସର୍ବେ ଭାଗୀ ।।

କେତେ ଦେଶ ବାସୀ ହେଲେଣି ଯେ ବଳି,

ଶତ୍ରୁର ଆଘାତେ ସର୍ବେ ହୋଇ ଦଳି ।।

ପ୍ରାଣ ବିକଳରେ କେ ପଳାଏ ଧାଇଁ,

କେ ଆସି ଶତ୍ରୁର ଗୋଡ଼ଧରି ଶୋଇ ।।

କରୁଛନ୍ତି ଭିକ୍ଷା ଜୀବନ ନିଜର,

କ୍ଷମା ମାଗୁଛନ୍ତି ନିଜ ରାଇଜର ।।

ଶତ୍ରୁ କରି ତାକୁ ଜବତ ସେକ୍ଷଣି,

ଲେଖାଇ ନେଉଛି ଚୁକ୍ତିନାମା ଆଣି ।।

ଏହିପରି କେତେ କରାଳ ସଂଗ୍ରାମ,

ଏହିକ୍ଷଣି ଆଉ ନାହିଁ ତା ବିରାମ ।।

ଲାଗିଛନ୍ତି ସର୍ବେ ନିଜ ରାଜ୍ୟ ଲାଗି,

ଭୂଶାୟୀ ହୁଅନ୍ତି ଶହ ଶହ ଆଜି ।।

ରାଜ୍ୟ ଲାଗି ହେବ ଶରୀର ନିପାତ,

ଅବା ଜୟୀ ହେଲେ ଜଗତେ ବିଖ୍ୟାତ ।।

କି ସଂଗ୍ରାମ ଆଜି ଲାଗିଛି ସେଠାରେ,

ଶୁଣିଲେ ଶରୀର ଥରଇ ଭୟରେ ।।

ଏ ସମୟେ ଦେଖ ଭାରତ ଦୁର୍ଦ୍ଦଶା,

ସ୍ଵର୍ଣ୍ଣମୟୀ ଦେଶ ଭୋଗୁଛି କି ଦଶା ।।

ଲକ୍ଷ ଲକ୍ଷ ପୁଅ ପେଟ ବିକଳରେ,

ଛାଡ଼ି ଦାରା ସୁତ ଆଜି ବିଦେଶରେ ।।

ନ ପାନ୍ତି ଦିମେଲା ପେଟପୂରା ଢୋକ,

କାହିଁ ଭାରତର ସୌଭାଗ୍ୟ ବିଚେକ ।।

କିସ ଥିଲା ଏହି ରାଇଜ ପୂରୁବେ,

ଭାବିଲେ ହୃଦୟ ମାତିଉଠେ ଗର୍ବେ ।

କିନ୍ତୁ କାହିଁ ଆଜି କି ଦେଖୁଛ ତାହା,

ବିପରୀତ ଫଳ ଫଳିଗଲା ଆହା ।।

ଲକ୍ଷ୍ମୀପୁର ବୈଇକୁଣ୍ଠ ପରିଥିଲା,

ବିଦେଶୀ ଶାସନ ଖାହିଁ କରିଦେଲା ।।

ଭୋଗୁଛନ୍ତି ଆଜି ଭାରତ ସନ୍ତାନ,

ଦୁଃଖ କଷ୍ଟେ ପଡ଼ି ହୋଇ ପରାଧୀନ ।।

କାହିଁ ପାଇଁହେଲା ଏ ପରିବର୍ତ୍ତନ,

ଭାବିଲେ ଚୌଦିଗ ଦିଶିଯାଏ ଶୂନ୍ୟ ।।

କି ସମୃଦ୍ଧିଶାଳୀ ଥିଲା ଏ ଭାରତ,

ମାତୁଥିଲା ବୀର ଦର୍ପେ ଅବିରତ ।।

ପେଟକୁ ନପାନ୍ତି ଏବେ ଗଣ୍ଡେ ଦାନା ।।

ଲଜ୍ଜା ଢାଙ୍କିବାକୁ ନାହିଁ ଖଣ୍ଡେ କନା ।।

ଏପରି ଘଟୁଛି ଅପାର ଅପାର

ଲେଖିଲେ ହୋଇବ ଗ୍ରନ୍ଥ ପାରାବାର ।।

ଫେରାଇବା ପାଇଁ ପୂରୁବ ସମୃଦ୍ଧି,

ଲାଗିଛନ୍ତି ଏବେ ଗାନ୍ଧୀ ମହାତ୍ମାଜୀ ।।

ଗତ ମହାଯୁଦ୍ଧେ ସରକାର ତାହାଙ୍କୁ,

ଡାକି ପଚାରିଲେ ସହଯୋଗିବାକୁ ।।

କହିଲେ ମହାତ୍ମା ଦେଶର ଦୁର୍ଦ୍ଦଶା,

ଶୁଣି ସରକାର ଛାଡ଼ିଲେ ଭରସା ।।

କହିଲେ ଏଥର କର ସହଯୋଗ,

ଯୁଦ୍ଧେ ଜୟୀ ହେଲେ ଦେବୁ ରାଜ୍ୟ ଆଗ ।।

ରକ୍ତ ମାଂସ ହୀନ ଭାରତ ସନ୍ତାନେ,

ଗାନ୍ଧିଙ୍କ ଆଦେଶେ ସମର ଅଙ୍ଗଣେ ।।

ଡେଇଁଲେ ସରବେ ଅସ୍ତ୍ର ଶସ୍ତ୍ର ଧରି,

ଜୟୀ ହେଲେ ମାରି ସରକାର ଅଇରି ।।

ଯୁଦ୍ଧ ଶେଷ ହୋଇ ଶାନ୍ତି ପାଇଲାରୁ,

ଗାନ୍ଧୀ ଯାଇ ନିଜ ରାଜ୍ୟ ମାଗିବାରୁ ।।

ନାସ୍ତିବାଣୀ ପରିହାସ କରି ରାଜା,

ଘଉଡ଼ାଇ ଦେଲେ ଥଟ୍ଟା କରି ଯା ଯା ।।

ହୋଇଲା ଆରମ୍ଭ ସତ୍ୟାଗ୍ରହ ଯୁଦ୍ଧ,

ଲକ୍ଷ ଲକ୍ଷ ଭାଇ ହେଲେ କାରାରୁଦ୍ଧ ।।

ଜୀବନକୁ ସର୍ବେ ଦେଇ ଜଳାଞ୍ଜଳି,

ଚାଲିଲେ କାରାକୁ ସର୍ବେ ହୋଇ ମେଳି ।।

କେତେ ଭାଇ ଦେଶ ପାଇଁ ହେଲେ ବଳି,

ଦୁଃଖ କଷ୍ଟ ନାନା ଯନ୍ତ୍ରଣା ସମ୍ଭାଳି ।।

ଜାଲିଆନା ବାଗ, ପଞ୍ଜାବ, ରାଉଲତ,

ହତ୍ୟାକାଣ୍ଡ କରି ଶୋଷିଲେ ରକତ ।।

କେତେ ଦିନ ପରେ ଶାନ୍ତ କରି ସବୁ,

ସ୍ୱାୟତ୍ତ ଶାସନ ଦେଲେ ଭେଟିବାକୁ ।।

ମନ୍ତ୍ରୀ ଗଢ଼ା ହେଲା ପ୍ରତି ପ୍ରଦେଶରେ,

କଂଗ୍ରେସ ଲାଗିଲା ଦେଶ ଉପକାରେ

ସେ ସବୁର ପାଇଁ ଥିଲା ଏକ କଥା

ହଁ, ନାହିଁ ଥିଲା ସରକାରଙ୍କ ମଥା ।।

ଯଦି ନାସ୍ତି କରି ଦିଅନ୍ତି ସରକାର,

ବିଚାର ନୋହିବ ମନ୍ତ୍ରୀଙ୍କ କଥାର ।।

କରିବେ ସରକାର ଯଦି ଏକ କଥା,

ମନ୍ତ୍ରୀଙ୍କର ନାହିଁ ହୋଇବ ଅନ୍ୟଥା ।।

ସରକାର ନେବେ ସେ ସବୁ ଚଳାଇ,

ମନ୍ତ୍ରୀମାନେ କେବେ ନ ଯିବେ ବଳାଇ

ଏହିପରି କେତେଦିନ ବିତିଗଲା,

ପୋଲାଣ୍ଡ-ଜର୍ମାନୀ ଯୁଦ୍ଧ ଆସିହେଲା ।।

ଇଂରେଜ ସରକାର ପଶିଲେ ଯୁଦ୍ଧରେ,

ଘୋଷଣା କରିଲେ ଭାରତ ପକ୍ଷରେ ।।

ଜର୍ମାନୀ ବିରୁଦ୍ଧେ ଭାରତ ଲଢ଼ିବ,

ଦରକାର ହେଲେ ନିଜ ପ୍ରାଣ ଦେବ ।।

ଏ ଘୋଷଣା ଶୁଣି କେତେ ବୀର-ରକ୍ତ

ତାତି ଉଠି ସର୍ବେ ହେଲେ ଅସ୍ତ ବ୍ୟସ୍ତ ।।

ଗଲେ ମହାତ୍ମାଜୀ ଇଂରେଜ ପାଖକୁ,

ପଚାରିଲେ କିମ୍ପା କଲ ଘୋଷଣାକୁ ।।

ଯଦି ଦେବ ଆମ୍ଭ ରାଜ୍ୟଟି ଆମ୍ଭଙ୍କୁ,

ପାତିବୁ ଯୁଧ୍ୟରେ ତୁମ୍ଭ ପାଇଁ ବୁକୁ

କହିଲେ ସରକାର ହୁଅ ଏକଜୁଟ,

ହିନ୍ଦୁ, ମୁସଲମାନ ଧର ଏକ ବାଟ

ଦେବୁ ତୁମ୍ଭ ରାଜ୍ୟ ତୁମ୍ଭେ ବୁଝିବାକୁ,

ନାହିଁ ଆମ୍ଭ ଚିନ୍ତା ତୁମ୍ଭଙ୍କୁ ଦେବାକୁ

ଲଗାଇଲେ ନାଟ ଧରି ଇଶାଇଙ୍କୁ,

ଦି’ଭାଗ କରିବା ପାଇଁ ଭାରତକୁ ।।

ନ ଶୁଣିଲେ ଜିନ୍ନା ମହାତ୍ମାଙ୍କ କଥା,

ଇଂରେଜ କପଟ ; ପାତି ନେଲେ ମଥା ।।

ଆଦେଶିଲେ ଗାନ୍ଧୀ କଂଗ୍ରେସ ମନ୍ତ୍ରୀଙ୍କୁ

ଛାଡ଼ି ଆସିବାକୁ ମନ୍ତିରୀ ଗାଦିକୁ ।।

ହେଲା ସତ୍ୟାଗ୍ରହ ଆରମ୍ଭ ଭାରତେ,

ପଡ଼ିଗଲା ହୁରି ଏ ସାରା ଜଗତେ ।।

ଲକ୍ଷ ଲକ୍ଷ ଆଜି ପଶିଲେଣି ରଣେ,

ଡେଇଁବେ ଆହୁରି ସମର ଅଙ୍ଗଣେ ।।

ଅହିଂସା ମନ୍ତ୍ରକୁ ସର୍ବେ କରି ସାର,

ଡେଇଁଛନ୍ତି ଆଜି ଲକ୍ଷ ଲକ୍ଷ ବୀର ।।

ଦେଶ ପାଇଁ ଦଶ ପାଇଁ ହେବ ବଳି,

ତଡ଼ିବେ ଦେଶରୁ ବିଦେଶୀ ଅଇରି ।।

ରକ୍ତ ନଦୀ ଯାଉ ଭାରତରେ ବହି,

ମାଳ ମାଳ ମୁଣ୍ଡ ଗଡ଼ ସାରା ମହୀ ।।

ତଥାପି ନଦେବୁ ପଛ ଘୁଞ୍ଚା ଆମ୍ଭେ

ଲଢ଼ିବୁ ସ୍ଵରାଜ୍ୟ ସାଧନେ ସଦମ୍ଭେ ।।

ମାତିଉଠ ସର୍ବ ଭାରତ ସନ୍ତାନ,

ହେଲେ କିହେ ସର୍ବେ ବିବେକ ବିହୀନ ।।

ବୀରରକ୍ତ ଉଠୁ ନାହିଁ କିହେ ତାତି,

ଅନାହାରେ ସବୁ ଭଜିଛକି ଶାନ୍ତି ।।

ପୂର୍ବ ତେଜ ବଳ ସ୍ମରି ମନେ ମନେ,

ହୁଅ ଅବତୀର୍ଣ୍ଣ ସମର ଅଙ୍ଗଣେ ।।

ଲୋଡ଼ା ନାହିଁ ଏଠି ହାତ-ହତିଆର,

ଗୋଳା ଗୁଳି ବାରୁଦର କାରବାର ।।

କରି ସତ୍ୟ, ଶାନ୍ତି ମନ୍ତ୍ର ଉଚ୍ଚାରଣ,

କଙ୍କାଳ ଶରୀରେ ହୁଅ ଅବତୀର୍ଣ୍ଣ ।।

ଦିଅ ବଳି ସର୍ବେ ଜନ୍ମ ଭୂମି ପାଇଁ

ମାତୃଭୂମି ଜୟ ଆନନ୍ଦରେ ଗାଇ

ହୋଇବାରେ ସର୍ବେ ନିଶ୍ଚୟ ସ୍ଵାଧୀନ,

ଘୁଞ୍ଚିବ ଏ ଦେଶୁ ବିଦେଶୀ ଶାସନ ।।

ଭାରତ ମାତା ପଦେ ଜଣାଅ ଗୁହାରି,

ମନସ୍କାମ ପୂର୍ଣ୍ଣ ହୋଇବ ଆମ୍ଭରି ।।

ବୋଲ ବୋଲ ଭାଇ ସର୍ବେ ଭାରତମାତା,

ଜୟ - ଜୟ - ଜୟ ଭାରତମାତା

ବଂଦେ ମାତରଂ

☆☆☆

 

ଏଇ ମୋ ଓଡ଼ିଆ ଭାଇ

 

ଏଇମୋ ଓଡ଼ିଆ ଭାଇ

ଯୁଦ୍ଧରେ ନାଚୁଛି ଏ ପାଖ ସେ ପାଖ

କି ଆନଦ ମତ୍ତ ହୋଇ –୦

 

ବାଜିଗଲେ କାନେ ଯୁଧ୍ୟବାଦ୍ୟ ବାଜା

ଦେଖିଲେ ଦୂରରୁ ଜୈତ୍ର ଓଡ୍ର ଧ୍ଵଜା

ଧାଏଁ କେହେ ବେଗେ ଆଖିପଲକରେ

ଯୁଧ୍ୟରେ ପଶିବା ପାଇଁ –୧

 

ଦେବ ଆଜି ପ୍ରାଣ ଜନ୍ମଭୂମି ପାଇଁ

ଅବା ଜୟୀ ହେଲେ ଭୋଗିବ ସେ ମହୀ

ବଇରି ସଂହାରୀ କଥା ରଖିଦେବ

କାଳେ କାଳେ ସାରା ମହୀ –୨

 

ପଡ଼ିଗଲେ ମନେ ପୂରୁବ ବିଭବ,

ବିଦେଶ ଅତ୍ୟାଚାରେ ଦେଇଛି ସରବ

ମହତ ରଖିବ କାଳ କାଳ ଯାଏଁ

ନିଜର ପରାଣ ଦେଇ —୩

 

ଜାଗିଛି ପରାଣେ ଅପୂର୍ବ ପୁଲକ,

ଶତ୍ରୁ ସଂହାରିବା ବୀରର ଆଲୋକ

ଏ ନୀତି ପାଳିବ ସମର ଅଙ୍ଗଣେ

ନୀଳାଚଳ ନାଥ ଧ୍ୟାୟି –୪

☆☆☆

 

ମୋର ବ୍ୟକ୍ତିଗତ ସତ୍ୟାଗ୍ରହ

 

ଲାଗିଛି ଭାରତେ ମୁକ୍ତି ପାଇଁ ଆଜି

ଶାନ୍ତି ସତ୍ୟାଗ୍ରହ ଯୁଧ୍ୟ ।।

ଅହିଂସା ଏହାର ମୂଳମନ୍ତ ଅଟେ

କେ କରିବ ପ୍ରତିରୋଧ ।।

ଦେବେ କେତେ ବୀର ଏହି ରଣେ ପ୍ରାଣ

ସ୍ମରି ଭାରତ ଜନନୀ

ସ୍ଵାଧୀନତା ପାଇଁ ଏ ଜୀବନ ଦାନ

ଦେଖୁ ଏ ସାରା ଅବନୀ

କେତେଦିନ ଆଉ ପରାଧୀନ ହୋଇ

ପଡ଼ିରହିଥିବା ଭାଇ ।।

ବୀର ପ୍ରସବିନୀ ଭାରତ ମାତାର

ପରାକ୍ରମୀ ସୁତ ହୋଇ ।।

ଅତୀତ ଗୌରବ ଗଲାଣିତ ଚାଲି

(ଅଛି)କର୍ପୁର ବିହୀନ କନା ।

କନାଖଣ୍ଡି କିମ୍ପା ଛାଡ଼ିଦେବା ଭାଇ

(ହେବ)ଜାତିର ଗୌରବ ବାନା ।।

ଲକ୍ଷ ଲକ୍ଷ ଆଜି ଡେଇଁଲେଣି ରଣେ

ଘର ଦ୍ଵାର ସବୁ ଛାଡ଼ି ।।

ଡେଇଁଛି ମୁଁ ମଧ୍ୟ ସେ ସ୍ଵାଧୀନ ଯୁଦ୍ଧେ

ସ୍ଵାଧୀନତା ମୋହେ ବୁଡ଼ି ।।

ଆସ ଆସ ସର୍ବେ ଭାଇ ଭଉଣିଏ

ବୀରଦର୍ପେ ମାଟି ଗର୍ବେ ।।

ଡେଇଁବା ଅନଳେ ସ୍ଵାଧୀନତା ପାଇଁ

ଧରା ଧରି ହୋଇ ସର୍ବେ ।।

ଯେ ଦିନ ଆସିଲି ସମର ଆଗକୁ

ବିଦାୟ ତୁମଠୁ ନେଇ ।।

ବିଜୟ ଟୀକା ହେ ଦେଇଥିଲ ପରା

ସହାନୁଭୂତି ଦେଖାଇ ।।

ଦ୍ଵାରେ ଦ୍ଵାରେ ପରା ପୂର୍ଣ୍ଣକୁମ୍ଭ ଥୋଇ

ଘିଅ ପ୍ରଦୀପ ଜଳାଇ ।।

ମା, ଭଉଣିଏ ହୁଳ ହୁଳି ଦେଇ

ଗ୍ରାମକୁ ଦେଲ କମ୍ପାଇ ।।

ଶଙ୍ଖ ବାଜୁଥିଲା, ବାଇଦ ବାଜିଲା

ଗାଁ ବୁଲାଇଲ ମତେ ।।

ଶହ ଶହ କରି ପୁଷ୍ପମାଲ୍ୟେ କିମ୍ପା

ମଣ୍ଡି ଦେଇଥିଲ ମତେ ।।

ବାଇଦ ବାଜିଲା ବେଳେ ଭାବୁଥାଏ

ରଣବାଦ୍ୟ ଏ ଅଟଇ ।।

ଅସ୍ତ୍ର ଶସ୍ତ୍ର ଯୁଦ୍ଧ ସେ ସିନା ଅଟଇ

ଶାନ୍ତି ଯୁଦ୍ଧ ଏ ଅଟଇ ।।

ଲୋଡ଼ା ନାହିଁ ଏଥିପାଇଁ ଧନ ବଳ

କିବା ରଥ, ଘୋଡ଼ା, ହାତୀ ।।

ସମୟ ପଡ଼ିଲେ ଦରକାର ହେବ

ପାତିବାକୁ ନିଜ ଛାତି

ଭାଇ ବନ୍ଧୁ କେତେ କାନ୍ଦିଥିଲେ ସତେ

ନୟନୁ ଲୁହ ଗଡ଼ାଇ ।।

ଭାବିଥିଲି ତାହା ଅଟେ ଏହି ଦେଶ

କଷ୍ଟ ଘୁଞ୍ଚାଇବା ପାଇଁ ।।

ଲଢ଼ିବେ ମୋ ଭାଇ ବନ୍ଧୁ ସର୍ବେ ମିଳି

ଏକାଠି ପଦାରେ ରହି ।।

ଦେଶର ଦଶର ମଙ୍ଗଳ ହୋଇବ

ଦେଖିବେ ଅନ୍ୟାନ୍ୟ ଭାଇ ।।

ଭୋଗିଥିଲେ ଏକ ଛୋଟିଆ ଦୁର୍ଭିକ୍ଷ

ମୋହର ଅଞ୍ଚଳ ଭାଇ ।।

ଘନ ଘନ ଦାବୀ ପ୍ରତିକାର କରି

ବଞ୍ଚିବେ ସୁବିଧା ପାଇ ।।

ଯେତେ କାମସବୁ ବାକି ରହିଅଛି

ହେବ ସଂପୂର୍ଣ୍ଣ ତାହାର ।।

କୁଲିଗିରି କରି ଖଟି ଦିନ ରାତି

ପାଇବେ ମୁଠେ ଆହାର ।।

ରୁଣ୍ଡ ହୋଇଥିଲେ ଶହ ଶହ ଆସି

ଭାଇମାନେ କେତେ ଦୂରୁଁ ।।

ଆସିଥିଲେ କେତେ ନୟାଗଡ଼ ବାସୀ

ସ୍ନେହ ଦେଖାଇ ଆଗରୁ ।।

ଭରପୁର ହେଲେ ଜୟନାଦ କରି

କମ୍ପିଲା ଗାଁ ପଞ୍ଚଭୂତି ।।

ବସି ଶୁଣୁଥିଲେ ମୋ କହିବା କଥା

ପିଠିକୁ ଲଗାଇ ଛାତି

କହିଲି ମୁଁ ଯୁଦ୍ଧ ବିରୁଦ୍ଧରେ ଯେଣୁ

ଗିରଫ କଲେ ପୁଲିସ ।।

ଜୟ ଜୟ ଧ୍ୱନି ଉଛୁଳି ଉଠିଲ

ଭଜିଲା ସବୁ ନୀରସ ।।

ଆଣିଲେ ଶକଟେ ପୁଣି ପୁଣି ଗ୍ରାମ ବାଟେ

ପଞ୍ଚଭୂତି ଠାରୁ ମତେ ।।

ଘୋଟିଛି ଦେଖିଲି ସମସ୍ତଙ୍କ ମନେ

ବିଷାଦର ଛାୟା ସତେ ।।

ରାତ୍ରଟି ରଖାଇ ସକାଳୁ ଆଣିଲେ

ପୁଲିସ ମତେ ସଙ୍ଗରେ ।।

ନେଉଛନ୍ତି ଅବା ଯମଦୂତ ମାନେ

ଭାବିଲି ଏହା ମନରେ ।।

ଭେଟିଲି ବାଟରେ ପୂଜ୍ୟ ସଭାପତି

ପ୍ରାଣକୃଷ୍ଣ ପ୍ରତିହାରି ।।

ଅଶେଷ ଉତ୍ସାହ ଢାଲିଗଲେ ମତେ

ସବୁ କଥା ଶୁଣିସାରି ।।

ଶୁଣିଲି ତାଙ୍କଠୁ ବୀର ସୁବାସଜୀ

ହୋଇଛନ୍ତି ନିରୁଦ୍ଦିଷ୍ଟ ।।

ଦେଶ ମାତ୍ତୃକାର ଉଦ୍ଧାର ପାଇଁରେ

ବାଛି ନେଲେ ନିଜ ବାଟ ।।

ଭାବୁଛି ଏଥର ଖୋଲିବକି ଆଖି

ଇଂରେଜ ସରକାରଙ୍କ ।।

ମହତ୍ମା ଗାନ୍ଧୀଙ୍କ ଅହିଂସା ସମର

(ତାଙ୍କୁ)କରିଦେବ ଛାରଖାର ।।

ବିଚାର ହୋଇଲା ରସଲ କୋଣ୍ଡାରେ

ହୋଇଲି ମୁଁ ଅପରାଧୀ ।।

ସେହି ଦୋଷ ପାଇଁ ଚାରିମାସ ଜେଲ

ଭୋଗିବି ମୁହିଁ ଅବଧି ।।

କାନରୁ କାନକୁ ଏ ଖବର ବେଗେ

ହେବ ଚୌଦିଗେ ପ୍ରଚାର ।।

ଦୁଃଖରେ ମଜିବେ କେତେ ଭାଇ ବନ୍ଧୁ

କର୍ଣ୍ଣେ ଶୁଣି ଏ ଖବର ।।

କରିଲକି ଦୁଃଖ ଭାଇ ବନ୍ଧୁ ମୋର

ଜଇଲ ଖବର ଶୁଣି ।।

ସ୍ଥାନ ଦିଅ କିମ୍ପା ଦୁଃଖକୁ ହୃଦୟେ

ଆଗୁ ଏହା ଥିଲ ଜାଣି

ଗଲାଣିତ ଚାଲି ଏକ ମାସକାଳ

ଆଉ ଅଛି ତିନି ମାସ ।।

କାଲିପରି ଯାଇ ତୁମ୍ଭ ସଙ୍ଗେ ଭାଇ

ହେବ ମୋ ଦେଖା ସାକ୍ଷାତ ।।

ଯୋଗ ଦେବି ତୁମ୍ଭ କାର୍ଯ୍ୟ ରେ ଆନନ୍ଦେ

ଦେଶ କାମ କରୁ ଅଛ

ଗରୀବ ମୂଲିଆ ଦିଓଳି ଦି ଢୋକ

ପାଇବାକୁ ଯା’ ଭାବୁଛ ।।

ଘର ଦ୍ଵାର ଭାର୍ଯ୍ୟା ସୁତ ଛାଡ଼ି ଆଜି

କେତେ ଭାଇ ବିଦେଶରେ ।।

ପର ମୂଲ ଲାଗି ଦୁଃଖ, କଷ୍ଟ ପଡ଼ି

ଢୋକେ ପିଇ ପ୍ରାଣ ଧରେ ।।

ଘର ପୋଡ଼ିଠାରୁ ନାହିଁ ବଡ଼ ଦୁଃଖ

ଭୋଗନ୍ତି ଅଞ୍ଚଳବାସୀ ।।

ଧ୍ଵଂସ ହୋଇ ଯାଏ ଆଖି ପଲକରେ

ଧନ ଜନ ଗୋପ ଲକ୍ଷ୍ମୀ ।।

ଘର ପୋଡ଼ିଠାରୁ ନାହିଁ ବଡ଼ଦୁଃଖ

ପୁତ୍ର ମୃତ୍ୟୁ ସଙ୍ଗେ ସରି ।।

ସର୍ବସ୍ଵାନ୍ତ ହୋଇ ଭୋଗନ୍ତି ଏ ଦଶା

ହୁଅନ୍ତି ଦାଣ୍ଡ ଭିକାରୀ ।।

ବହୁଚିନ୍ତା କରି ହୋଇନାହିଁ ସ୍ଥିର

କିପରି ଯିବ ଏ ଦଶା ।।

ଗ୍ରୀଷମ ଆସିଲେ ମାଡ଼ିଆସେ ବେଗେ

ପ୍ରତିବର୍ଷ ଏ ଦୁର୍ଦ୍ଦଶା ।।

ବିଶ୍ଵନାଥ ସେବା ସମିତି ଆମର

କରି ପ୍ରତିକାର ଚିନ୍ତା ।।

ଘୁଞ୍ଚାଇବ ନିଶ୍ଚେ ଗରିବଙ୍କ କଷ୍ଟ

ଅଗ୍ନି ଦେବଙ୍କ ଅହନ୍ତା ।।

ହୋଇଲେ ମୁକତ ଏ ବନ୍ଦୀ ଶାଳରୁ

ତୁମରି ସଙ୍ଗରେ ଭାଇ ।।

ମିଳିମିଶି ସବୁ କାମରେ ତୁମକୁ

ସାହାଯ୍ୟ କରିବି ଯାଇ ।।

ଡାକ ଥରେ ଭାଇ ଜଗତ ନାଥଙ୍କୁ

ଘୁଞ୍ଚାଇବେ ଆମ ଦୁଃଖ ।।

ହୋଇବା ସ୍ଵାଧୀନ ଯିବ ପରାଧୀନ

ଦେଶେ ବିରାଜିବ ସୁଖ ।।

 

(ଉତ୍କଳ ମଣି ଗୋପବନ୍ଧୁଙ୍କ ବନ୍ଦୀର ଆତ୍ମକଥା ଅବଲମ୍ବନରେ ଲିଖିତ)

☆☆☆

 

ଜାଗରେ ଆଜି ଭାରତ ଜାତି

 

ଜାଗରେ ଆଜି ଭାରତ ଜାତି

ହିନ୍ଦୁ, ଖ୍ରୀଷ୍ଟ, ମୁସଲମାନ,

ଜନ୍ମଭୂମି ଆଜି ପାଇବ ମୁକତ

ଫେରିବ ପୂର୍ବ ସମ୍ମାନ

ଉଡ଼ାଇ କେତନ ବଜାଇ ଦୁନ୍ଦୁଭି

ଗାଅରେ ବିଜୟ ଗାନ

କାରାବାସ ସୁଖ କରରେ ବରଣ,

ଚାଲିଯାଉ ଏ ଜୀବନ

ବାଜୁରେ ଶରୀରେ ଲାଠିର ଆଘାତ

ଯାଉ ଫାଶୀଖମ୍ବେ ପ୍ରାଣ

ଜନ୍ମ ଭୂମିର ମୂକତି ସାଧନେ

କର ଏକମନ ଧ୍ୟାନ

କରରେ ଅହିଂସା ଶାନ୍ତି ମନ୍ତ୍ର ସାର

ସେନାପତି କଥା ଘେନ,

ହୁଅ ଅଗ୍ରସର ନ ଫେର ପଛକୁ,

କର ସାର ଏହି ପଣ

ଫିଟିବ ବନ୍ଧନ ହୋଇବା ମୁକତ

ଜାଗ ଭାରତ ସନ୍ତାନ,

ଲାଗରେ ଆଜି ଭାରତ ଜାତି,

ହିନ୍ଦୁ, ଖ୍ରୀଷ୍ଟ, ମୁସଲମାନ୍‍

☆☆☆

 

ବାୟା ଯଦି ହୋଇବୁ ଭବେ

 

ବାୟା ଯଦି ହୋଇବୁ ଭବେ

ନର ଜନ୍ମ ଏକା ବରି ତୁ ଆଣ

ବୋଳିବାକୁ ସମସ୍ତ ମୋର

ଯାହା ଅଛି ଏହି ସଂସାର

ପାପ ପୂଣ୍ୟ କିଛି ବିଚାର ନ କରି

ଛାଡ଼ି ଧର୍ମ ଦେବୁ ଅଧର୍ମେ ମନ ।୧ ।

ଭାର୍ଯ୍ୟା, ପୁତ୍ର, ଦୁହିତା, ମାତା

ଭାଇ, ବନ୍ଧୁ, ଖୁତୁତା, ପିତା

କେଇ ଦିନ ପାଇଁ ତୁଛାଟାରେ ଭାଇ

ମୋର ମୋର ହେବେ ଲୋଭ କରିଣ ।୨ ।

ଜୀବଗଲେ ଛାଡ଼ି ତୋ କାୟା

ସବୁହୋଇ ଯିବେଟି ମାୟା

ଗୋଟି ଗୋଟି ସବୁ ପଛକୁ ଖସିବେ,

କେହି ସଙ୍ଗରେ ନଯିବେଟି ଜାଣ ।୩ ।

ଧନ ଦଉଲତ ଅର୍ଜିବା

ବିପଦକୁ ବରି ଆଣିବା

ସ୍ଥିର କରି ଦେଖ ଏହି ଦୁଇଟିରୁ,

କିଏ ବଡ ଆଉ କିଏ ସେ ସାନ ।୪ ।

ସାଥି ସବୁ ସମ୍ପଦେ ଏକା

ବିପଦେ କେ ନଦେବେ ଦେଖା,

କେଉଁ କଥାପାଇଁ ଏହି ଭବେ ଭାଇ

ତୁଛାରେ ହୋଇବୁ ନର ଜନମ ।୫ ।

ଆଜି ଯେହୁ ରାଜ ଆସନେ,

କଲି ଶେହୁ ଭିକାରୀ ପଣେ,

ବୁଲି ବାରଦ୍ଵାର ପେଟ ପୋଷିବାକୁ

ସାର ଛଟପଟ ହୋଇବା ପ୍ରାଣ ।୬ ।

ଦିନ ରାତି କେତେ ସରିବ

ଭାବି ତିଳେ କଷ୍ଟ ନ ଯିବ

ଶେଷେ ବାୟା ହୋଇ କାୟାକୁ ହଜାଇ,

ସବୁ ସାରିବାକୁ ଧାଇଁବ ପ୍ରାଣ ।୭ ।

ପ୍ରାଣ ବନ୍ଧୁ ଜଗତ ନାମ

ଭଜ ତାଙ୍କୁ ହେବୁ ମୁକତ

ସଂସାର ସାଗର ବଡ଼ ଭୟଙ୍କର

ତରିବା ଏଥିରୁ ବଡ଼ କଠିନ ।୮ ।

☆☆☆

 

ଗୋପବନ୍ଧୁ ସ୍ମୃତି

 

କାହିଁ ଯାଇ ସ୍ଵର୍ଗେ ରହି

ବରକି ସୁଦୃଷ୍ଟି ଉତ୍କଳ ଭୂଇଁ ହେ ଗୋପବନ୍ଧୁ !

କାଙ୍ଗାଳ ଓଡ଼ିଆ ପାଇଁ ।୧ ।

ଖରା ବର୍ଷା ଶୀତ ସହି

ଖଟି ଦିନ ରାତି ଭାଇଙ୍କ ପାଇଁ ହେ ଗୋପବନ୍ଧୁ !

ଖିଆପିଆ ଜଳାଞ୍ଜଳି ଦେଇ ।୨ ।

ଗଲାଣି ପୂର୍ବ ବିଭବ

ଗାଇ ବସିଲେ ଯା ଶେଷ ନୋହିବ ହେ ଗୋପବନ୍ଧୁ !

ଗାଇ ଲୁହ ଆଖିରୁ ଝରିବ ।୩ ।

ଘଣ୍ଟା ନ ଶୁଭେ ମନ୍ଦିର

ଘଟ ଯାଇ ରହିଅଛି ଶରୀର ହେ ଗୋପବନ୍ଧୁ !

ଘଡ଼ି ଗଡ଼େ ଘୃତ ବିହୀନର ।୪ ।

ଉତ୍କଳର ଘରେ ଘରେ

ଉଡ଼ିଲା ଜାତୀୟ ଧ୍ଵଜା ଗର୍ବରେ ହେ ଗୋପବନ୍ଧୁ !

ଉଠେ ତବ ନାମ ପ୍ରଥମରେ ।୫ ।

ଚନ୍ଦ୍ର ଉତ୍କଳାକାଶରେ

ଚାଲି ଗଲ କରି ସବୁ ଅନ୍ଧାର ହେ ଗୋପବନ୍ଧୁ !

ଚକ୍ଷୁ ପଲକ ମାତର ।୬ ।

ଛିନ୍ନଭିନ୍ନା ମାତା ହିତେ

ଛାଡ଼ି ସର୍ବ ସୁଖ ଲଢ଼ିଲ କେତେ ହେ ଗୋପବନ୍ଧୁ !

ଛାଡ଼ିଗଲ ନ ଦେଖି ତା ନେତ୍ରେ ।୭ ।

ଜଡ଼ ଉତ୍କଳ ଭୂଇଁରେ

ଜମାଟ ନ ଥିଲା ଭାଇ ଭାଇରେ ହେ ଗୋପବନ୍ଧୁ !

ଜାଗିଅଛି ତୁମ୍ଭ ପ୍ରଭାବରେ ।୮ ।

ଝରୁଛି ନେତ୍ରୁ ଲୋତକ

ଝୁରି ଭାବି ତୁମ୍ଭ କାର୍ଯ୍ୟ କଳାପ ହେ ଗୋପବନ୍ଧୁ !

ଝିମିଟରେ ଯିବକି ଏ ଦୁଃଖ ।୯ ।

ନଥିଲେ ଉତ୍କଳେ କେହି

ନୂଆମନ୍ତ୍ର ତୁମ୍ଭେ ଦେଲ ମିଶାଇ ହେ ଗୋପବନ୍ଧୁ !

ନିରାଶ୍ରୟେ ଆଶ୍ରା ଦେଲ କହି ।୧୦ ।

ଟଳିବ କେବେ ସରକାର

ଟାଣ ପଣ କେବେ ଭାଙ୍ଗିବ ତା’ର ହେ ଗୋପବନ୍ଧୁ !

ଟେକ ରହିବ ଏ ଭାରତର ।୧୧।

ଠାଉକିଆ ଚୋର ପରି

ଠକ ପ୍ରବଞ୍ଚକ ଅଛନ୍ତି ଘେରି ହେ ଗୋପବନ୍ଧୁ !

ଠକି କଷ୍ଟାର୍ଜିତ ନ୍ୟନ୍ତି ମାରି ।୧୨ ।

ଡଙ୍ଗା ମଝି ଦରିଆରେ

ଡେରି ନ ହୋଇବ ଆଉ ଏଥିରେ ହେ ଗୋପବନ୍ଧୁ

ଡାକି ଗାନ୍ଧୀ କହିଲେଣି ବାରେ ।୧୩ ।

ଡକା ବାଜେ ବୀର ମତେ

ଢାଳିବ କେ ରକ୍ତ ଜନନୀ ହିତେ ହେ ଗୋପବନ୍ଧୁ !

ଢାଳେ ଧାଇଁଆସ ବୀର ଯେତେ ।୧୪ ।

ଅହିଂସା ଅସହଯୋଗେ

ଅଣ୍ଟା ଭିଡ଼ି ଆଜି ଉତ୍କଳ ଜାଗେ ହେ ଗୋପବନ୍ଧୁ !

ଅବଶ ତୁମ୍ଭ ପ୍ରଭାବେ ।୧୫ ।

ତରୀ କିଏ ନେବ ବାହି

ତାରିବ ସଙ୍କଟୁ ଉତ୍କଳ ଭାଇ ହେ ଗୋପବନ୍ଧୁ !

ତୁମ୍ଭେ ଗଲ ଅନ୍ତର୍ଦ୍ଧ୍ୟାନ ହୋଇ ।୧୬ ।

ଥକ୍କା ହୋଇ ସର୍ବେ ବସି

ଥିର ଦୃଷ୍ଟି ତୁମ୍ଭ ଚିତ୍ରେ ନିବେଶି ହେ ଗୋପବନ୍ଧୁ !

ଥୟ ଧରି ହୁଅନ୍ତି ଆଶ୍ଵାସି ।୧୭।

ଦୁଃଖୀର ଦେଖିଲେ ଦୁଃଖ

ଦଣ୍ଡେ ସ୍ଥିର ନୋହି ତେଜିବ ସୁଖ ହେ ଗୋପବନ୍ଧୁ !

ଦେବ ଦଶ ବାରେ ମାଗି ଭିକ ।୧୮ ।

ଧରି ହସ୍ତେ ଭିକ୍ଷା ଝୁଲି

ଧୀରେ ଗ୍ରାମେ ଗ୍ରାମେ କେ ଯିବ ବୁଲି ହେ ଗୋପବନ୍ଧୁ !

ଧରମ ଛତର ଖୋଲି ।୧୯।

ନିରନ୍ନ ଓଡ଼ିଶାବାସୀ

ନୀର ଢାଲୁଛନ୍ତି ନୀରବେ ବସି ହେ ଗୋପବନ୍ଧୁ !

ନଦେଖିଲ ଥରେ ଏବେ ଆସି ।୨୦ ।

ପରିଶ୍ରମ ଯାହା କରୁ

ପର ଆସି ନିଏ ତାହା ଆଗରୁ ହେ ଗୋପବନ୍ଧୁ !

ପେଟେ ପାଣିଭରି ଦିନ ସରୁ ।୨୧ ।

ଫିଟିବ କେବେ ବନ୍ଧନ

ଫୁଲିବ ଆନନ୍ଦେ ଭାଇଙ୍କ ପ୍ରାଣ ହେ ଗୋପବନ୍ଧୁ !

ଫେରିବକି ପୂରୁବ ସମ୍ମାନ ।୨୨ ।

ବନ୍ୟା ଦୁର୍ଭିକ୍ଷର ଦାଉ

ବକ୍ଷପାତି କେତେ ସହିବୁ ଆଉ ହେ ଗୋପବନ୍ଧୁ !

ବଢ଼ି ମାଡ଼ିଆସେ ଚାହୁଁ ଚାହୁଁ ।୨୩ ।

ଭାସିଯାଏ ଘର ଦ୍ଵାର

ଭାର୍ଯ୍ୟା ପୁତ୍ର କନ୍ୟା ବନ୍ଧୁ ସୋଦର ହେ ଗୋପବନ୍ଧୁ !

ଭାଳୁ ଆଶ୍ରା କର ତରୁବର ।୨୪ ।

ମହା ମାନବଙ୍କୁ ଆଣି

ମୁତ୍ୟୁମୁଖୀ ଓଡିଶାର କାହାଣୀ, ହେ ଗୋପବନ୍ଧୁ !

ମର୍ମେ ମର୍ମେ କେ ଯିବ ବଖାଣି ।୨୫।

ଯଶ ରଖି ମହୀତଳ

ଯିବ ବୋଲି ଚାଲି ତେଜି ଉତ୍କଳ ହେ ଗୋପବନ୍ଧୁ !

ଜାଣିଥିଲା କିଏ ତୁମ୍ଭ ଖେଳ ।୨୬ ।

ରଖି ତୁମ୍ଭ ଚିତ୍ର ଆଗେ

ରଚି ନାନା ପୂଜା ଉତ୍କଳ ମାଗେ ହେ ଗୋପବନ୍ଧୁ !

ରଖ ଓଡ଼ିଆ ଟେକ ସରାଗେ ।୨୭ ।

ଲକ୍ଷ୍ମୀପୁତ୍ର ଓଡ଼ିଶାର

ଲୋଟୁ ଏ ମସ୍ତକ ତୁମ୍ଭ ପୟରେ ହେ ଗୋପବନ୍ଧୁ !

ଲକ୍ଷ୍ୟ ରହୁ ତୁମ୍ଭରି ପଥର ।୨୮ ।

ବାର୍ଷିକ ଶ୍ରାଦ୍ଧ ଦିବସେ

କବି ଆତ୍ମକଥା ଗାଇ ବିରସେ ହେ ଗୋପବନ୍ଧୁ !

ବନ୍ଦୁଥିବୁ ସାଜି ଦେବ ବେଶେ ।୨୯ ।

ଶିଶୁ ଆଜି ଓଡ଼ିଶାର

ଶାନ୍ତି ଯୁଦ୍ଧେ ବଳି ଦିଏ ଶରୀର ହେ ଗୋପବନ୍ଧୁ !

ଶଙ୍କା ତେଜି ସାଜି ବୀର ।୩୦।

ଶୋଇଥିଲା ଏ ଓଡ଼ିଶା

ସତେକି ତେଜିଲା ନିଦ୍ରା ସହସା ହେ ଗୋପବନ୍ଧୁ !

ସାରି ସକଳ ଦୁର୍ଦ୍ଦଶା ।୩୧ ।

ଷଡ଼ ନବମ ବରଷେ

ଷୋଡ଼ଶୋପଚାରେ ପୂଜ ହରଷେ ହେ ଗୋପବନ୍ଧୁ !

ଷଷ୍ଠ ଘଟିକା ଦିବସେ ।୩୨।

ହୋଇଲେ ପୂରୁବ ମେଳ

ହସିବ ଆନନ୍ଦେ ମାଟି ଉତ୍କଳ ହେ ଗୋପବନ୍ଧୁ !

ହେବ ଶତ୍ରୁ ସର୍ବଶେ ନିର୍ମୂଳ ।୩୩।

କ୍ଷମାସାଗର ଶ୍ରୀହରି

ଖଣ୍ଡିବେ ସକଳ ଦୁଃଖ ଆମ୍ଭରି ହେ ଗୋପବନ୍ଧୁ !

କ୍ଷୟ ନୋହିବ ଯଶ ତୁମ୍ଭରି ।୩୪।

☆☆☆

 

କୃଷକ ଭାଇ

 

କହୁଛି ତୋ ହିତ ପାଇଁ

କାନ ଡେରି ଥରେ ଶୁଣିବୁ ଭାଇ,କୃଷକ ଭାଇ

କଷ୍ଟ ତୋ ଯିବ ଉଭେଇ ।୧ ।

ଖରା, ବର୍ଷା,ଶୀତ ସହି

ଖଟୁ ଦିନରାତି ତୁ କାହା ପାଇଁ, କୃଷକ ଭାଇ

କ୍ଷଣେ ଅବସର ନାହିଁ ।୨।

ଗୋଟି ଗୋଟି କରି ତୋର

ଗଣି ହେଉଅଛି ସମସ୍ତ ହାଡ଼,କୃଷକ ଭାଇ

ଗୋଡ଼ କାଢ଼ିବାକୁ ନାହିଁ ବଳ ।୩।

ଘରେ ଯା ସାଇତି ରଖୁ

ଘେନିଯାଏ ଦିନେ ଧନୀ ତାହାକୁ,କୃଷକ ଭାଇ

ଘାଣ୍ଟି ଚକଟି ତୋ ହୃଦୟକୁ ।୪ ।

ଉଡ଼ିଲାଣି ଦେଖ ଧ୍ଵଜା

ଉଚ୍ଚେ ବାଜିଲାଣି ଜାତୀୟ ବଜା,କୃଷକ ଭାଇ

ଉଠି ଆସ ଦେହ କରି ତାଜା ।୫।

ଚାହିଁ ଆଉ କେତେ ଦିନ

ଚକ୍ଷୁ ବୁଜି ରହିଥିବୁ ମଉନ,କୃଷକ ଭାଇ

ଚାହୁଁ ଚାହୁଁ ଚାଲିଯାଏ ଦିନ ।୬ ।

ଛାଡି ତୁ ସକଳ ଆଶା

ଛିଡ଼ାହୁଅ ଆସି କରି ଭରସା,କୃଷକ ଭାଇ

ଛଟକରେ ଯିବ ତୋ ଦୁର୍ଦ୍ଦଶା ।୭ ।

ଜମିର ମାଲିକ ତୁହି

ଜମିଦାର କିମ୍ପା ଫଳ ନିଅଇ,କୃଷକ ଭାଇ

ଜାଣି ରହୁ ତୁନିତାନୀ ହୋଇ ।୮।

ଝୁରି ଝୁରି ପାଉ ଦୁଃଖ

ଝର ଝର ଝରେ ନେତ୍ରୁ ଲୋତକ,କୃଷକ ଭାଇ

ଝାଉଁଳିପଡ଼େ ତୋ ମୁଖ ।୯।

ନାହିଁ କେ ହେବ ତୋ ସାହା

ନକହିବେ ଦୁଃଖେ ପଦେ କେ ଆହା,କୃଷକ ଭାଇ

ନିଜେ ଦୃଢ଼କର ନିଜ ବାହା ।୧୦ ।

ଟିକିଏ କଥାକୁ ଭାଇ

ଟାଣିଟୁଣି କେତେ ଦେବେ ସେ କହି,କୃଷକ ଭାଇ

ଟେକ ରଖ ନ୍ୟାୟ ବାଟେ ଯାଇ ।୧୧।

ଠକ, ଧନୀ, ସାହୁକାର

ଠକି ଭଣ୍ଡି ସବୁ ଖାଇଲେ ତୋର,କୃଷକ ଭାଇ

ଠିଆହେଲୁ ତୁ ବାର ଦୁଆର ।୧୨।

ଡରନା କାହାକୁ ତୁହି

ଡରିଲେ ତୁ ଆଉ ବଞ୍ଚିବୁ ନାହିଁ,କୃଷକ ଭାଇ

ଡୁବିଯିବ ଡଙ୍ଗା ମଝି ନଈ ।୧୩।

ଢାଳି ତୁ ଦିଅ ରକତ

ଢାଳେ ତୋର ଯଶ ହେବ ବିଖ୍ୟାତ,କୃଷକ ଭାଇ

ଢଳି ଶୋଷକ ହେବେ ନିପାତ ।୧୪।

ଅରଟ ଚଳାଅ ଭାଇ

ଅନ୍ନ ବସ୍ତ୍ର କଷ୍ଟ ଦିଅ ତୁଟାଇ,କୃଷକ ଭାଇ

ଅନ୍ୟ ପାଇଁ ତୁ ନହୁଅ ବାଇ ।୧୫।

ତିଆରି କରୁ କୋରଡ଼ା

ତୋହ ପାଇଁ ଦିନେ ହୁଏ ତା ଲୋଡ଼ା,କୃଷକ ଭାଇ

ତୋର ପିଠିରୁ କାଢ଼େ ଚମଡ଼ା ।୧୬।

ଥକ୍କା ହୋଇ ଚାହିଁ ବସି

ଥିଲେ ଥୁଆ ଖାଦ୍ୟ ନେବ କେ ଆସି,କୃଷକ ଭାଇ

ଥିବ ତୋ ଭୟ ତତେ ଗରାସି ।୧୭।

ଦାଉ ସାଧିବାକୁ କେତେ

ଦେଖ ବସିଥାନ୍ତି ନ ଦିଶେ ତୋତେ,କୃଷକ ଭାଇ

ଦୟା ଦେଖାଇଣ ଚିତ୍ତେ ।୧୮ ।

ଧରି ତୁ ସ୍ଵାଧୀନ ବାଟ

ଧୀରେ ଧୀରେ ଚାଲ ନୋହି ଊଚ୍ଚାଟ,କୃଷକ ଭାଇ

ଧନ୍ୟ ଧନ୍ୟ କହିବ ଜଗତ ।୧୯ ।

ନିରାଶେ ବସିଲେ ତୁହି,

ନ ଦେବ କେ ଆଣି ପେଟେ ପୂରାଇ,କୃଷକ ଭାଇ

ନିନ୍ଦା ସିନା ସାର ସାରହେବ ଭାଇ ।୨୦ ।

ପେଟପୂରା ଦୁଇ ଓଳି

ପାଇବାକୁ ସଦା ହେଉଛୁ ଭାଳି କୃଷକ ଭାଇ

ପର ଘରେ ଦେଇ ସବୁ ଢାଳି ।୨୧।

ଫଟା କପାଳ ତୋହର

ଫାଟି ନ ଯାଇ ରହିଛି ଶରୀର କୃଷକ ଭାଇ

ଫେରି ନ ଆସେ ସୁଖ ତୋହର ।୨୨।

ବନ୍ଦୋବସ୍ତ ଆସେ ଧାଇଁ

ବୁଣିବାକୁ ଅର୍ଥ ବାଟଟି ସେହି, କୃଷକ ଭାଇ

ବିନା ମେଘେ କୁଳିଶ ପଡ଼ଇ ।୨୩।

ଭଗାରି ତୁ ସବୁଙ୍କର

ଭଣ୍ଡା ଭଣ୍ଡି ସବୁ ଖାଆନ୍ତି ତୋର, କୃଷକ ଭାଇ

ଭାଳୁ ବସି ମୁଣ୍ଡେ ଦେଇ କର ।୨୪ ।

ମାଛି ମଶା ପରି ଭାଇ

ମରନ୍ତି ତୋ ଜାତି କେ ଭାଳେ ନାହିଁ, କୃଷକ ଭାଇ

ମଶାଣିରେ ଆଉ ଥାନ ନାହିଁ ।୨୫।

ଯୁବତୀ ଝିଅକୁ ତୋର

ଯଉବନ ନୁହେ ବର୍ଷ ଅଠର, କୃଷକ ଭାଇ

ଯେଣୁ ଚିର ଅନାହାର ।୨୬।

ରଜା, ଧନୀ, ଜମିଦାର

ରକ୍ତ ମାଂସ ସବୁ ଶୋଷିଲେ ତୋର, କୃଷକ ଭାଇ

ରହିଛି ଖାଲି ଶରୀର ।୨୭।

ଲକ୍ଷ ଲକ୍ଷ ତୋର ଭାଇ

ଲୋଟି ପଡ଼ୁଛନ୍ତି ଖାଦ୍ୟ ନ ପାଇ, କୃଷକ ଭାଇ

ଲୁହ ଯାଏ ନେତ୍ରୁ ବହି ।୨୮ ।

ବନ୍ୟା ଦୁର୍ଭିକ୍ଷ ତୋହର

ବଳ ତେଜ ସବୁ କଲାଣି ଜୁର, କୃଷକ ଭାଇ

ବଇରି ତୁ ସବୁଙ୍କର ।୨୯।

ଶତ୍ରୁକୁ ସାଧିବା ପାଇଁ

ଶରୀରରେ ନବ ବଳ ସଞ୍ଚାଇ, କୃଷକ ଭାଇ

ଶଙ୍କା ତେଜି ଆସ ଧାଇଁ । ୩୦।

ସାହୁକାର, ସରକାର

ସଂହାରିବା ପାଇଁ ସଂକଳ୍ପ କର, କୃଷକ ଭାଇ

ସ୍ଵରାଜ୍ୟ ହେବ ସତ୍ଵର ।୩୧ ।

ଷଣ୍ଢ ତୁ ତୋହରି ଦେଶେ

ଶଶା ପରି କିମ୍ପା ଲୁଚିଛୁ ଗାତେ, କୃଷକ ଭାଇ

ସର୍ବ ଶକ୍ତି ଆଣ ଚିତ୍ତେ ।୩୨।

ହସି ହସି ଦେଲେ ପ୍ରାଣ

ହୋଇବୁ ଜଗତେ ଚିର ସ୍ମରଣ, କୃଷକ ଭାଇ

ହେଳା ନ କରି ଆସ ବହନ ।୩୩ ।

କ୍ଷଣେ ତୁ ନୋହି ଅଳସ

କ୍ଷତ୍ରିୟ ପରାଏ ଦେଖା ସାହସ, କୃଷକ ଭାଇ

କ୍ଷୟ ନୋହିବ ତୋ ଯଶ ।୩୪।

☆☆☆

 

ଚାଷୀ ଭାଇ

 

ଚାଷୀ ମଜୁରିଆ ଭାଇ

ଜାଗିବୁକି ଥରେ ତୋ ଦେଶ ପାଇଁ ହେ ଚାଷୀ ଭାଇ

ଆଉ କେତେ ଦିନ ଥିବୁ ଶୋଇ ।୧ ।

ଖରା ବର୍ଷା ଶୀତ ସହି

ମୁଣ୍ଡର ଝାଳକୁ ତୁଣ୍ଡେ ପୂରାଇ ହେ ଚାଷୀ ଭାଇ

ଏତେ କଷ୍ଟ ସହୁ କାହାପାଇଁ ।୨।

ତୋହର ରକତ ପିଇ

ଜମିଦାର ଆଜି ମୋଟା ଦିଶଇ ହେ ଚାଷୀ ଭାଇ

ରହେ ଛ’ତାଲା କୋଠା ବନାଇ ।୩।

ଦେହେ ନହିଁ ଖଣ୍ଡେ କନା

ପେଟକୁ ତୋହର ନ ମିଳେ ଦାନା ହେ ଚାଷୀଭାଇ

ସହୁ କା’ପାଇଁ ଏତେ ଗଞ୍ଜନା ।୪।

ଯାହା ତୁ ଆଦାୟ କରୁ

ପିତା କି ମଧୁର ଚାଖି ନ ପାରୁ ହେ ଚାଷୀ ଭାଇ

ନୀତି ଭୋକ ଉପବାସେ ମରୁ ।୫।

ଘରେ ଯା ସାଇତି ରଖୁ

ଦିନେ ସାହୁକାର ନିଏ ତାହାକୁ ହେ ଚାଷୀ ଭାଇ

ନାହିଁ ତୋ ଦୁଃଖ କେ ଶୁଣିବାକୁ ।୬।

ତୋହରି ଧନରେ ରାଜା

ଖାଇ ପିଇ ଆଜି ମାରନ୍ତି ମଜା ହେ ଚାଷୀ ଭାଇ

ବଜାଇ ଗୌରବ ବାଜା ।୭।

ଅନ୍ୟାୟ ରାଜତ୍ଵ ଭାଇ

ପୃଥିବୀରେ ଆଉ ରହିବ ନାହିଁ ହେ ଚାଷୀ ଭାଇ

କର ନ୍ୟାୟ ରାସ୍ତାକୁ ସଫାଇ ।୮।

ନ ପୋଷ ଏ ଜମିଦାର

ରାଜା ସାହୁକାର ଧନୀ -ସର୍କାର ହେ ଚାଷୀ ଭାଇ

ଲିଭି ଯାଉ ଏ ନାମ ସତ୍ଵର ।୯।

ତୋହରି ବାଟକୁ ତୁହି

ଖୋଲିବାକୁ ହେଲେ ଚଞ୍ଚଲ ଭାଇ ହେ ଚାଷୀ ଭାଇ

ଶୀଘ୍ର ପାଇବୁ ଏଥିରୁ ତ୍ରାହି ।୧୦।

କାତି, କୁରାଢ଼ି, ଲଙ୍ଗଳ

ଦାଆ, କାଙ୍କ, କୋଡ଼ି, ମୋଇ, କୋରଳ ହେ ଚାଷୀ ଭାଇ

ସାର କର ଏ ତୋର ସମ୍ବଳ ।୧୧।

କଚିରି ବୋଲି ତୁଣ୍ଡରେ

ନ ଧର ଲାଗିବ ପାପ ମୁଣ୍ଡରେ ହେ ଚାଷୀ ଭାଇ

ଗାର କରି ରଖ ହୃଦୟରେ ।୧୫।

ଏ ସବୁ ପାଳିଲେ ତୁହି

ସ୍ଵାଧୀନ ହୋଇବୁ ଅଚିରେ ଭାଇ ହେ ଚାଷୀ ଭାଇ

ଦୁଃଖ ତୋ ଯିବ ଉଭେଇ ।୧୬।

କର ଭୂମି ଭଲ ଚାଷ

ମେଣ୍ଟିବ ତୋହର ସକଳ ଆଶା ହେ ଚାଷୀ ଭାଇ

ଧ୍ୟାନ କର ସଦା ପରମେଶ ।୧୨।

ନ ଦିଅ କାହାକୁ କର

ତୋର ଶ୍ରମ ଫଳ ତୁ ଭୋଗକର ହେ ଚାଷୀ ଭାଇ

ଧ୍ଵଂସ ହେଉ ଏ ଧନୀ ସରକାର ।୧୩।

ଗ୍ରାମେ ପଞ୍ଚାୟତ ଗଢ଼ି

ନ୍ୟାୟ, ଅନ୍ୟାୟ କୁ ସେଥିରେ ବାଢ଼ି ହେ ଚାଷୀ ଭାଇ

ଅନ୍ୟାୟକୁ ଦିଅ ତଡ଼ି ।୧୪।

Image